ମୋ ଆଈମା ସ୍ୱାସ୍ଥ୍ୟ କଥା - 087 ସଜନା ମଞ୍ଜିରେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 087* ସଜନା ମଞ୍ଜିରେ
ଆଈମା ଆମର ପ୍ରତିଦିନ କିଛି ନା କିଛି କାହାଣୀ ଭଳିଆ କେତେ ଯେ ସୁନ୍ଦର ସ୍ୱାସ୍ଥ୍ୟ କଥା ସବୁ କହିଥାନ୍ତି ସବୁ ଜିନିଷ ମନେ ରହି ନଥାଏ l ଆଜି ହଠାତ ଗୋଟେ କଥା ତାଙ୍କରି ମନେ ପଡ଼ିଗଲା l ବିଷୟଟି ହେଲା ଜୁଆଙ୍ଗ ଆଦିବାସୀମାନଙ୍କ କଥା l ଆଜ୍ଞାମାନେ ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଏକ ବୈଜ୍ଞାନିକ ଆଦିବାସୀ ସଂସ୍କୃତିର ଜିନିଷ ଆମେ ଜାଣିବାକୁ ପାଇବା l ଆଜି ଆମର ଆଈମା କାହିଁକି କେ ଜାଣି ବହୁତ ମନେ ପଡନ୍ତି ଏହି କଥା ଲେଖିବା ବେଳକୁ l ଛୋଟବେଳେ ଏହି କଥା ଆମେ ଆଈମାଙ୍କ ଠାରୁ ଜାଣିବାକୁ ପାଇଥିଲୁ କି ଜୁଆଙ୍ଗ ଆଦିବାସୀମାନେ କେନ୍ଦୁଝରରେ ରୁହନ୍ତି ଏବଂ ସେମାନେ ସାମାନ୍ୟ ଲୋକମାନଙ୍କ ଠାରୁ ଏକ ଭିନ୍ନ ପରିବେଶ ଏବଂ ସଂସ୍କୃତିରେ ବସବାସ କରନ୍ତି l ଆଦିବାସୀ ମହିଳାମାନେ ଝରଣାରୁ ପାଣି ନେଇ ରୋଷେଇ କରନ୍ତି l ପାଣି ଯଦି ଗୋଳିଆ ବା ଅପରିଷ୍କାର ଲାଗେ ସେଥିରେ ସେମାନେ ପ୍ରତି ଗରା ପାଣିରେ 5-6 ଟି ସଜନା ମଞ୍ଜିକୁ ଚୋପା ଛଡାଇ ପକେଇଦିଅନ୍ତି l କିଛି ଘଣ୍ଟା ପରେ ତାହା ସ୍ଵଛ ନିର୍ମଳ ହେବା ସହିତ ଶୁଦ୍ଧ ହେଇଯାଏ l ତେବେ ସଜନା ମଞ୍ଜିରେ ଯେଉଁ ଜଳ ବିଶୋଧନର ଶକ୍ତି ରହିଛି ତାହା ଆଧୁନିକ ଯୁଗର ବ୍ଲିଚିଙ୍ଗ ପାଉଡରରେ ନାହିଁ l ବ୍ଲିଚିଙ୍ଗ ପାଉଡର ଆମ ଶରୀରରେ ବହୁତ କ୍ଷତି ସାଧନ କରେ l ଆଈମା କହନ୍ତି ଆଜିକାଲି ଯେଉଁ କିଡ଼ନୀ ସମସ୍ୟା ବେଶୀ ବଢୁଛି ଏହାର କାରଣ ଅଶୁଦ୍ଧ ବ୍ଲିଚିଙ୍ଗ ପାଉଡର ପାଣି ହେଇପାରେ l ଅଳ୍ପ କେତୋଟି ଦେଶୀ ସଜନା ମଞ୍ଜି ପାଣି ଭିତରେ ଲୁଚି ରହିଥିବା ଜୀବାଣୁମାନଙ୍କୁ ମଧ୍ୟ ମାରିପକାଏ l ଜଳର ଉତ୍ତମ ଗୁଣବତ୍ତାକୁ ରକ୍ଷା କରେ l ଏହା ଛୋଟ କଥା ନୁହଁ l ଏହା ହେଉଛି ଆମର ବହୁତ ବଡ଼ ବୈଜ୍ଞାନିକ ସଂସ୍କୃତିର ଅଂଶବିଶେଷ ଅଟେ l
ସଜନା ଗଛର ପ୍ରତିଟି ଅଂଶ ସେ ପତ୍ର ହେଉ ଯାହାକୁ ଆମେ ଶାଗ କରି ଖାଉଛେ, ଫୁଲ ବା ତାର ଛାଲି ହେଉ ସବୁ ଜିନିଷ ଆମକୁ ଅନେକ ରୋଗ ଦାଉରୁ ରକ୍ଷା କରେ l ପୂର୍ବ କାଳରେ ଯେତେବେଳେ ଆଧୁନିକ ବିଜ୍ଞାନ ଉନ୍ନତ ହେଇନଥିଲା ଆମ ଓଡିଶାର ଗ୍ରାମୀଣ କ୍ଷେତ୍ରରେ ବାସ କରୁଥିବା ସ୍ତ୍ରୀ ଲୋକମାନେ ଖରା ଦିନ ପାଖେଇ ଆସିବା ପୂର୍ବରୁ ହିଁ ସଜନା ଗଛର ପତ୍ରକୁ ଶୁଖେଇ ରଖୁଥିଲେ କାରଣ ସେତେବେଳେ ଖରା ଦିନେ ପନିପରିବାର ଅଭାବ ରହୁଥିଲା l ଅପାଠୁଆ ହେଇ ମଧ୍ୟ ଆମ ଲୋକେ ଜାଣିଥିଲେ କି ସଜନା ଗଛରେ ଅନେକ ଭିଟାମିନ ରହିଛି ଯାହାକି ଅନେକ ପନିପରିବା ଖାଇଲେ ମଧ୍ୟ ମିଳିନଥାଏ l ଆଜିର ବିଜ୍ଞାନ କହେ ଏହାର ପତ୍ର, ଫୁଲ ଓ ଫଳରେ ଭିଟାମିନ - A, B, C, E ଏବଂ କ୍ୟାଲସିୟମ, ଲୌହ ଭଳି ଜରୁରୀ ଉପାଦାନ ବହୁତ ପରିମାଣରେ ରହିଛି l ଧନ୍ୟବାଦ ଆମ ସଜନା ଗଛକୁ ଯିଏ ସମସ୍ତଙ୍କ ବାଡ଼ି ଅଗଣାରେ ଶୋଭା ପାଇ ଆମର ସ୍ୱାସ୍ଥ୍ୟକୁ ମଜବୁତ କରିଥାଏ l
ଆଈମା ଆଉ ଏକ କଥା କହିଲେ ଯେଉଁ ପୁରୁଷ ମହିଳାଙ୍କୁ ପିଲା ଛୁଆ ହେଉନି ସେମାନେ ନିଶ୍ଚିତ ସଜନା ଛୁଇଁ ବା ସଜନା ଗଛର ମଞ୍ଜି ଖାଇବା ଉଚିତ l କିନ୍ତୁ ମନେ ରଖିବେ ଗର୍ଭବତୀ ମହିଳା ସଜନା ଶାଗ ଖାଇବା ଅନୁଚିତ ଏବଂ ସେଇ ବ୍ୟକ୍ତି ସଜନା ଶାଗ ଖାଇବା ଉଚିତ ନୁହେଁ ଯାହାଙ୍କ ରକ୍ତସ୍ରାବ ହେଉଥିବ l କାରଣ ଏହା ପିତ୍ତକୁ ବଢ଼େଇଥାଏ l ଗର୍ଭବତୀ ମହିଳା ସଜନା ଛୁଇଁ ନିହାତି ଖାଇବା ଦରକାର କିନ୍ତୁ ଶାଗ ନୁହେଁ l
ଦେଶୀ ସଜନା ଗଛର ଛାଲିର ରସ ବିଷ ନଷ୍ଟ କରିଥାଏ l କୌଣସି ବିଷାକ୍ତ ଜନ୍ତୁ କାମୁଡ଼ିଲେ ତୁରନ୍ତ ଏହି ଗଛର ଛାଲିରୁ ରସ ସଂଗ୍ରହ କରି ଜନ୍ତୁ କାମୁଡ଼ିଥିବା ଜାଗାରେ ଲଗେଇଲେ ବିଷ ନଷ୍ଟ ହୋଇଥାଏ l
ପ୍ରିୟ ପାଠକ ବୃନ୍ଦ ଆଈମାଙ୍କ ଏହି ସ୍ୱାସ୍ଥ୍ୟ କଥା ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଆମକୁ ଜଣେଇବେ l ଧନ୍ୟବାଦ 🙏
ମୋ ଆଈମା ସ୍ୱାସ୍ଥ୍ୟ କଥା - 088 ଦହିର ଅଦ୍ଭୁତ ବିଜ୍ଞାନ ଉପରେ

Comments
Post a Comment