ମୋ ଆଈମା ସ୍ୱାସ୍ଥ୍ୟ କଥା - 17 ମହିଳାମାନଙ୍କୁ ବିଶେଷ ଶକ୍ତି ଦେଇଛି ଘର କାମ ପାଇଁ
ଆଈମା କହେ - ତୁମ ଶରୀର ହିଁ ତୁମର ବଡ଼ ସମ୍ପତ୍ତି l ଟଙ୍କା ପଇସା ବଡ଼ ସମ୍ପତ୍ତି ନୁହଁ l ପ୍ରଥମେ ତୁମେ ନିଜେ ସୁସ୍ଥ ହେଲେ ଅନ୍ୟମାନଙ୍କୁ ସୁସ୍ଥ କରିପାରିବ l *ଆଈମା କହେ ନାରୀ ହାତରେ ସମଗ୍ର ପରିବାରର ସ୍ୱାସ୍ଥ୍ୟ ନିର୍ଭର କରେ l* କିନ୍ତୁ ଯେଉଁ ନାରୀ ଅଳସୁଆ ହୋଇ ସମୟ ବଂଚେଇବା ଉଦ୍ଦେଶ୍ୟରେ ଶୀଘ୍ର ରୋଷେଇ କରିବା ପାଇଁ ଯାଆନ୍ତି ସେଇଠି ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଆରମ୍ଭ ହୁଏ l ପ୍ରକୃତି ମହିଳାମାନଙ୍କୁ ବିଶେଷ ଶକ୍ତି ଦେଇଛି ଘର କାମ ପାଇଁ l ଏମାନଙ୍କ ପାଇଁ ଘରେ ଏତେ କାମ ଅଛି ଯେ ଏମାନଙ୍କ ପାଇଁ କୌଣସି ବ୍ୟାୟାମ କରିବା ଆବଶ୍ୟକ ହୋଇନଥାଏ l
କଣ କଣ କାମ କରନ୍ତି ଯାହାକି ତାଙ୍କର ପ୍ରାକୃତିକ ବ୍ୟବସ୍ଥାକୁ ଆହୁରି ମଜବୁତ କରିଥାଏ???
👉 ସକାଳେ ଉଠିଲା ମାତ୍ରେ ଘର, ଦୁଆର, ଅଗଣା, ଗଳି ପରିବେଶକୁ ସଫା କରିବା ଆରମ୍ଭ କରିଦିଅନ୍ତି l ଏହା ଦ୍ୱାରା ଏମାନେ ସମସ୍ତଙ୍କ ପାଇଁ ସ୍ୱଚ୍ଛତା ଆଣିପାରନ୍ତି ବଦଳରେ ଏମାନଙ୍କ ଶରୀରର ସୁନ୍ଦର ବ୍ୟାୟାମ ହୁଏ ମୁଖ୍ୟତଃ ଅଣ୍ଟା, କାନ୍ଧ, ମଣିବନ୍ଧ, ଆଙ୍ଗୁଳି, ବେକ ଆଦିରେ ଭଲ ପ୍ରଭାବ ପଡ଼େ l
👉 ସେମାନେ ଯେତେବେଳେ କୌଣସି ଜିନିଷ ଶିଳରେ ବାଟିବା, ଚକିରେ ପେଷିବା ଆରମ୍ଭ କରନ୍ତି ତାଙ୍କ ପେଟ ଉପରେ ଭଲ ପ୍ରଭାବ ପଡ଼େ l ପେଟର ସୁନ୍ଦର ବ୍ୟାୟାମ ହୁଏ l ଖାଦ୍ୟ ସୁଆଦିଆ ହୁଏ ତଥା ସବୁ ଭିଟାମିନ ଓ ପ୍ରୋଟିନ ଠିକଠାକ ରହେ l କିଛି ବି ନଷ୍ଟ ହୁଏନି l ଯେଉଁ ଖାଦ୍ୟ ପରିବାର ଲୋକେ ଖାଆନ୍ତି ସମସ୍ତେ ଉତ୍ତମ ମାନର ଖାଦ୍ୟ ଖାଆନ୍ତି l ଶରୀରକୁ ସମ୍ପୂର୍ଣ ପୋଷଣ ମିଳେ l
👉 ଢେଙ୍କିରେ ଧାନ, ଗହମ, ଚାଉଳ, ଗୋଟା ଡାଲି କୁଟାଯାଏ l ଏଥିରେ କୁଟୁଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରୁହେ l ସବୁଠୁ ବଡ଼ ଜିନିଷ ହେଲା ଖାଦ୍ୟର ଗୁଣବତ୍ତା ଅକ୍ଷୂର୍ଣ୍ଣ ରହେ l
👉 ମହିଳାମାନେ କେବେବି ଛିଡା ହୋଇ ରୋଷେଇ କରିବା ଉଚିତ ନୁହେଁ l ଯେଉଁମାନେ ଛିଡା ହୋଇ ରୋଷେଇ କରନ୍ତି ସେମାନଙ୍କୁ ନାନାଦି ବାତ ରୋଗ ଦେଖାଯାଏ l ଗ୍ୟାସ ଅପେକ୍ଷା ଦେଶୀ ଚୂଲିରେ ରୋଷେଇ କରିବା ବହୁତ ଭଲ l କାରଣ ଏହା ସମ୍ପୂର୍ଣ ବୈଜ୍ଞାନିକ ଅଟେ l ପ୍ରଥମେ ଯେଉଁ ମହିଳା ଚୁଲିରେ ରୋଷେଇ କରିବେ ସେ ବସି ପଡି ରୋଷେଇ କରିବେ l ତାଙ୍କର ଅଣ୍ଟାରୁ ପାଦ ପର୍ଯ୍ୟନ୍ତ ବିଶ୍ରାମ ପାଇବ ତଥା ଚୂଲିର ଅଗ୍ନିରୁ ଆସୁଥିବା ଉତ୍ତାପ ତାଙ୍କ ଶରୀରର ଗୋଡ଼ ହାତରେ ବାଜିବ ଯାହା ଫଳରେ ତାଙ୍କୁ ଆଉ କୌଣସି କଫ ଓ ବାତ ଜନିତ ରୋଗସବୁ ହେବ ନାହିଁ l
👉 ଗରାରେ ପାଣି ବୋହି ଆଣିବା ଦ୍ୱାରା ନାରୀମାନଙ୍କ ଅଣ୍ଟା ମଜବୁତ ହୋଇଥାଏ l ବର୍ତ୍ତମାନ ତ ଆଉ କେହି କରୁନାହାନ୍ତି କିନ୍ତୁ ଏହା ସତ ଯେ ଗରାର ଆକାର ନାରୀ ଶରୀର ଆକାର ସହିତ ସମାନ ଭାବେ ତିଆରି ହେଇଛି l ଆମର ପ୍ରତ୍ୟେକ ଜିନିଷ ପୂର୍ବ କାଳରେ ବୈଜ୍ଞାନିକ ଥିଲା l ଯାହା ଫଳରେ ନାରୀଶକ୍ତି ସୁସ୍ଥ ହୋଇ ସୁସ୍ଥ ସମାଜଟିଏ ତିଆରି କରୁଥିଲେ l
ବର୍ତ୍ତମାନ ଆଈମା କିଛି ସରଳ ଟିପ୍ସ ଦେଵେ ଆଧୁନିକ ନାରୀମାନଙ୍କୁ ନିଜ ତଥା ନିଜ ପରିବାରର ଯତ୍ନ ପାଇଁ....
👉 ଗ୍ରାଇଣ୍ଡର ବ୍ୟବହାର ନକରି ସମୟ ପଛେ ଲାଗୁ ଶିଳର ବ୍ୟବହାର କରନ୍ତୁ l
👉 ପାଣିକୁ ସବୁବେଳେ ଗରାରେ ରଖନ୍ତୁ l ପିତ୍ତଳ ଗରା ହେଇପାରିଲେ ଭଲ l ଆପଣ କେବଳ ଏତିକି କଲେ ମଧ୍ୟ ପାଣିର ଗୁଣବତ୍ତା ଠିକ ରହିବ l
👉 ଯଦି ଗ୍ୟାସ ଚୁଲା ବ୍ୟବହାର କରୁଛନ୍ତି ତାହେଲେ ମଧ୍ୟ ଆପଣ ତଳେ ରୋଷେଇ କରିବା ଆରମ୍ଭ କରନ୍ତୁ ଛିଡା ହେଇକି ନୁହେଁ l
👉 ଯଦି ଢେଙ୍କି ନାହିଁ ତଥାପି ଆପଣ ରବର ରୋଲ ସେଲର ଦ୍ୱାରା ଧାନ ପିସେଇ ଚାଉଳ କରି ବ୍ୟବହାର କରିପାରିବେ l
👉 ଚକି କଳ ବ୍ୟବହାର ନକରି ହାତ ଚାଳିତ ପଥର ଚକି ବ୍ୟବହାର କରିବେ ଡାଲି, ଗହମ ପେଷିବା ପାଇଁ l ଏହାର କାରଣ ହେଲା ଯେତେବେଳେ କୌଣସି ଜିନିଷ ପେସାଯାଏ ତାହା ଗରମ ହୋଇକି ବାହାରିବା ଅନୁଚିତ l ଥଣ୍ଡା ହୋଇକି ବାହାରିବା ଉଚିତ l ଏହା ଦ୍ୱାରା କୌଣସି ଭିଟାମିନ ପ୍ରୋଟିନ ନଷ୍ଟ ହେବ ନାହିଁ l
👉 ଚୁଲିର ଖାର ରେ ବାସନ ମାଜିବା ଉଚିତ l ସର୍ପ ପାଣି ବିଲକୁଲ ଭଲ ନୁହଁ ଯୋଉଟା ଆଜି ସମସ୍ତେ ବ୍ୟବହାର କରୁଛନ୍ତି l ଆଈମା କହେ ଏହି ସର୍ପ ପାଣି ବା ସାବୁନ କେବେବି 100% ବାସନ ମାଜିପାରିବନି ଯାହାହେଲେବି କିଛି ସର୍ପ ଆମ ପେଟକୁ ନିଶ୍ଚୟ ଯିବ ଆଉ ଆଜି ନହେଲେ ମଧ୍ୟ ଭବିଷ୍ୟତରେ ରୋଗ ସୃଷ୍ଟି କରିବ l
👉 ରୋଷେଇ କାର୍ଯ୍ୟ ଏକ ଭାବୁକ କାର୍ଯ୍ୟ l ରୋଷେଇ କଲାବେଳେ ସ୍ୱଚ୍ଛ ରହିବା ନିହାତି ଦରକାର l ମନ ଧ୍ୟାନ ଦେଇ ରୋଷେଇ କଲେ ରୋଷେଇ ସଫଳ ହୁଏ l କାରଣ ରୋଷେଇ କଲା ବେଳେ ଯିଏ ଯେମିତି ମନୋଭାବ ନେଇ ରୋଷେଇ କରନ୍ତି ଖାଦ୍ୟର ସ୍ୱାଦ ଓ ଗୁଣ ସେମିତି ହୋଇଯାଏ l ଏହା ବୈଜ୍ଞାନିକ ଭାବରେ ସତ୍ୟ l ସେଥିପାଇଁ ଘରର ଲକ୍ଷ୍ମୀମାନେ ନିଶ୍ଚୟ ଏହି କଥାକୁ ଧ୍ୟାନ ଦେଵେ l ଆନନ୍ଦରେ ରୋଷେଇ କରିବେ l ପରିବା କିଣିଲା ବେଳେ ଅତି ଆଦରରେ ପରିବାଗୁଡିକୁ ସ୍ପର୍ଶ କରି ସେଥିରେ ଭାବ ରଖି ଘରକୁ ଆଣିବେ ଆଉ ରୋଷେଇ କରିବେ ଦେଖିବେ ଖାଦ୍ୟ ସ୍ୱାସ୍ଥ୍ୟକର ହେବା ସହ ସୁଆଦିଆ ହେଇଯିବ l ଏହା କାଳ୍ପନିକ ନୁହଁ ସତ୍ୟ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 18 ଖାଦ୍ୟ ପେୟ ବିଷୟରେ ବୈଜ୍ଞାନିକ କ୍ୟାଲେଣ୍ଡର
.

Comments
Post a Comment