ମୋ ଆଈମା ସ୍ୱାସ୍ଥ୍ୟ କଥା - 78 ବେସର ବଟା ଯୁକ୍ତ ଖାଦ୍ୟ ଉପରେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 78 ବେସର ବଟା ଯୁକ୍ତ ଖାଦ୍ୟ ଉପରେ*
ବର୍ତ୍ତମାନ ପୌଷ ମାସରେ ବିଲ ବାଡ଼ିରେ ସୋରିଷ ଫୁଲ ଧରଣୀ ରାଣୀକୁ ତିଳକ କରୁଥିବାର ମନୋହର ଦୃଶ୍ୟ ଭିତରେ ହଠାତ କେମିତି ଇଚ୍ଛା ହେଲା ଆଈମାକୁ ପ୍ରଶ୍ନଟିଏ କରିବା ପାଇଁ l ଆଈମା ତୁମେ କେତେ ସୁନ୍ଦର ସ୍ୱାସ୍ଥ୍ୟ କଥା ଆମକୁ କହିଛ... ପୁଚି ଖେଳଠୁ ଆରମ୍ଭ କରି ପିଢ଼ାରେ ବସି ହାପୁଡି ହାପୁଡି ଖାଇବା ପର୍ଯ୍ୟନ୍ତ l ଏମିତି କିଛି ସ୍ୱାସ୍ଥ୍ୟ କଥା ରହିଛି କି ଏଇ ସୋରିଷ ଉପରେ? ପ୍ରଶ୍ନ ଶୁଣି ଆଈମା ହସିଲେ ଆଉ କହିଲେ ବେସର ତରକାରୀ ବେଶୀ ଭଲ ପାଉ ପରା ତୁ? ମୁଁ ହଁ କହିବାରୁ ଆଈମା କହିଲେ ସେଇଟା ତ ସୋରିଷର ସ୍ୱାସ୍ଥ୍ୟ ଗୁଣ l ଏବେ ଧ୍ୟାନ ଦେଇ ଶୁଣୁ....
ଆମ ଓଡ଼ିଆ ସଂସ୍କୃତିରେ ବେସରବଟା ଯୁକ୍ତ ଖାଦ୍ୟ ଗ୍ରହଣ କରିବା ପଛରେ ଅନେକ ବୈଜ୍ଞାନିକ କଥା ରହିଛି l ସୋରିଷ ବଟା ବା ବେସରଯୁକ୍ତ ଖାଦ୍ୟ ଖାଇଲେ ଆମକୁ କେବେବି ଥଣ୍ଡା ରୋଗ ହୋଇନଥାଏ l ଆମେ ପ୍ରତିଦିନ କିଛି ନା କିଛି ଭୁଲ ଖାଦ୍ୟ ଖାଉଛେ କିମ୍ବା ଭୁଲ ଜୀବନଚର୍ଯ୍ୟା କରୁଛେ l ଏଥିରୁ କିଛି ଅଂଶ ଶରୀରରେ ବିଷ ଆକାରରେ ଜମା ରହିଯାଉଛି l ଶରୀରରୁ ସବୁ ଅଦରକାରୀ ଜିନିଷ ଠିକ ଭାବେ ବାହାରି ପାରୁନି l କୌଣସି ଲୋକକୁ ହଠାତ ଥଣ୍ଡା ରୋଗ ହୋଇନଥାଏ l ଆମ ଶରୀରରେ ବର୍ଜ୍ୟବସ୍ତୁ ବା କୌଣସି ଅଦରକାରୀ ଜିନିଷ ଅଧିକରୁ ଅଧିକ ଜମା ହୋଇ ରହିଗଲେ ତାହା ଆମ ନାକ ବାଟରେ ହେଉ କି ଝାଡ଼ା ପରିସ୍ରା ବାଟରେ ହେଉ ସେଇ ଅଦରକାରୀ ଜିନିଷ ଶରୀରରୁ ବାହାରିବା ପାଇଁ ଚେଷ୍ଟା କରେ l ନାକରୁ ସିଂଘାଣି ଆକାରରେ କିମ୍ବା କଫ କାଶ ଦ୍ୱାରା ବାହାରିବା ପୂର୍ବରୁ ଆମର ଶରୀରରେ ଏକ ଜମା ହେବା କାମ ଚାଲିଥାଏ l ସୋରିଷ ବଟା ଜିନିଷ ଯଦି ସପ୍ତାହରେ ଥରେ ଖିଆଯାଏ ତାହେଲେ ସେଇ ବିଷାକ୍ତ ଅଦରକାରୀ ଅଂଶ ଆମ ଶରୀରରୁ ଆପେ ବାହାରିଯାଏ l ସେଥିପାଇଁ ଆମକୁ କେବେବି ଥଣ୍ଡା ରୋଗ ଧରେ ନାହିଁ l ଆମର ଯକୃତ, ହୃଦୟ ଏବଂ କିଡ଼ନୀ ମଧ୍ୟ ଉତ୍ତମ ଭାବେ କାର୍ଯ୍ୟ କରିବାରେ ସମର୍ଥ ହେଇଥାନ୍ତି l
ଦ୍ଵିତୀୟ ଲାଭ ହେଲା ଏହା ଶରୀରରେ ରକ୍ତ ବୃଦ୍ଧି କରିବାରେ ସାହାଯ୍ୟ କରେ l ସେଥିପାଇଁ ପୂର୍ବରୁ ଗର୍ଭବତୀ ମହିଳାମାନଙ୍କୁ ବେସର ତରକାରୀ ଯେମିତିକା ବେସର ଭେଣ୍ଡି ଖଟା, ବେସର ମାଛ, ବେସର ଶିମ୍ବ ତରକାରୀ, ବେସର ସଜନା ତରକାରୀ, ଛତୁ ବେସର ତରକାରୀ, ବେସର ସାରୁ ତରକାରୀ, ବେସର ଟମାଟୋ ଆଳୁ ଇତ୍ୟାଦି କେତେ କଣ ବେସରବଟା ଖାଦ୍ୟ ଖୁଆଯାଇ ରକ୍ତଅଭାବ ଜନିତ ସମସ୍ୟା ପାଇଁ ସରଳ ସମାଧାନ ବ୍ୟବସ୍ଥା ଥିଲା l
ବେସର ବଟା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଭୋକ ବଢ଼େ ଏବଂ ପାଟିକୁ ରୁଚି ଲାଗେ l ଯଦି ମା ଖାଏ ତାହେଲେ କ୍ଷୀର ଖାଉଥିବା ଛୁଆର ଅନେକ ପ୍ରକାରର ଥଣ୍ଡା ରୋଗ ଦୂର ହେଇଯାଏ l ଶିଶୁର ରୋଗ ପାଇଁ ମା କୁ ଔଷଧ ଦେବା ଦରକାର ଆଉ ଖାଦ୍ୟ କୁ ଔଷଧ ଭାବେ ଦେଲେ ମା ଠୁ ଶିଶୁ ଆପେ ଔଷଧ ପାଇଯାଇଥାଏ l ଶିଶୁକୁ କାଶ ହେଉଛି ତ ମା କୁ ବେସର ବଟା ଖାଦ୍ୟ ଖାଇବାକୁ କୁହନ୍ତୁ ଏବଂ ହାପୁଡି ହାପୁଡି ଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତୁ l ଦେଖିବ ଅନେକ ରୋଗ ଉଭୟ ମା ଓ ଶିଶୁର ସମାଧାନ ହେଇଯିବ l
କେବଳ ମଣିଷମାନଙ୍କ ପାଇଁ ନୁହଁ ଯେତେବେଳେ କୌଣସି ଗୋରୁ ଗାଈଙ୍କୁ ଥଣ୍ଡା ହୁଏ ଆମ ଗୋପାଳକ ଭାଇମାନେ ଧଳା ସୋରିଷକୁ ବାଟି ଗାଈ ଗୋରୁଙ୍କୁ ଖୁଆଇ ଦେଉଥିଲେ l ଗୋଟିଏ ଦୁଇଟି ପାନରେ ଗୋରୁ ଗାଈଙ୍କ ଥଣ୍ଡା ରୋଗ ଭଲ ହେଇ ଯାଉଥିଲା l
👉 ମନେରଖିବ ଆମ ଓଡ଼ିଆ ରୋଷେଇ ଶାଳାରେ ଏମିତି କୌଣସି ତିଆରି ହେଲା ଜିନିଷ ନାହିଁ ଯାହାକୁ ଆମେ 12 ଦିନରୁ ଅଧିକ ପାଣି ଦେଇ ରଖିପାରିବା l ମାନେ ହେଲା କୌଣସି ଜିନିଷ ବଟା ହେଲା ମାନେ ତାକୁ ଶୀଘ୍ର ରୋଷେଇରେ ବ୍ୟବହାର କରିନେବା ଉଚିତ l ବେସର ବଟା ପାଇଁ ମଧ୍ୟ ସେଇ ନିୟମ ରହିଛି l ବାଟି ସାରିଲା ପରେ ତାକୁ ଶୀଘ୍ର ଖାଦ୍ୟ ତିଆରି କରିଦେବା ଉଚିତ l ଆମ ସଂସ୍କୃତିରେ ଫ୍ରିଜ କଥା ନାହିଁ l ସେଥିପାଇଁ ତ ସପ୍ତାହରେ ଥରେ ବଜାର ରହିଛି l ତାଜା ବା ତଟକା ଜିନିଷ ଖାଇବା ତାଜା ପାଣି ପିଇବା, ବାସି ଜିନିଷ କମ ଖାଇବା, ଢେଙ୍କି, ଶିଳ, ଚକିକୁ ବ୍ୟବହାର କରି ମସଲା ତିଆରି କରିବା ଇତ୍ୟାଦି l
ପରିଶେଷରେ ଆଈମା ଏସବୁ କହି ପୁରୁଣା କଥାଟିଏ କହି ଏହି ସ୍ୱାସ୍ଥ୍ୟ କଥାଟିକୁ ବିରାମ ଦେଲେ l
"ବେସର ବଟାକୁ ଚୁଲିର ସେକ,
ଥଣ୍ଡା ବାତ କାଶ ରୋଗ ଅନେକ,
କରିବ ସମାଧାନ କ୍ଷଣକେ ଦେଖ,
ସବୁଠି ଓଡ଼ିଆ ସଂସ୍କୃତି ର ଡାକ l"
ମୋ ଆଈମା ସ୍ୱାସ୍ଥ୍ୟ କଥା - 79 ଭ୍ରମଣର ଉପକାରିତା ଉପରେ
.

Comments
Post a Comment