ବିଷ୍ଣୁଙ୍କର ଷୋଳ ନାମ
ବିଷ୍ଣୁଙ୍କର ଷୋଳ ନାମ କର ହେ ଶ୍ରବଣ । ସର୍ବ ପାପହାରୀ ମହା ପୁଣ୍ୟପ୍ରଦ ଜାଣ ।। ଔଷଧ ସେବନ କାଳେ ଶ୍ରୀ ବିଷ୍ଣୁ ସ୍ମରିବ । ଭୋଜନ କାଳରେ ଜନାର୍ଦ୍ଦନ ଉଚ୍ଚାରିବ ।। ଶୟନ କାଳରେ ପଦ୍ମନାଭଙ୍କୁ ଭଜିବ । ବିବାହେ ଶ୍ରୀ ପ୍ରଜାପତି ନାମ ସୁମରିବ ।। ଯୁଦ୍ଧେ ଚକ୍ରଧର ପ୍ରବାସରେ ତ୍ରିବିକ୍ରମ । ମୃତ୍ୟୁକାଳେ ଉଚ୍ଚାରିବ ନାରାୟଣ ନାମ ।। ପ୍ରିୟଜନ ସମାଗମେ ଶ୍ରୀଧର ସ୍ମରଣ । ଦୁଃସ୍ବପ୍ନେ ଗୋବିନ୍ଦ ନାମ ମୁଖେ ଉଚ୍ଚାରଣ ।। ବିପଦେ ମଧୁସୂଦନ ନାମକୁ ରଟିବ । ବନ ମଧ୍ୟେ ନରସିଂହ ନାମ ଉଚ୍ଚାରିବ ।। ଅଗ୍ନି ମଧ୍ୟେ ସୁମରିବ ଜଳଶାୟୀ ନାମ । ଜଳ ମଧ୍ୟରେ ବରାହ କରିବ ସ୍ମରଣ ।। ପର୍ବତେ ରଘୁନନ୍ଦନ ଶ୍ରୀରାମ ରାଘବ । ଯାତ୍ରାକାଳେ ଉଚ୍ଚାରିବ ଶ୍ରୀ ବାମନ ଦେବ ।। ସକଳ କାର୍ଯ୍ୟେ ସ୍ମରିବ ମାଧବ ମାଧବ । ଏ ନାମ ସ୍ମରଣେ ଭବ ବାଧା ଭୟ ଯିବ ।। ଏହି ଯେ ଷୋଡ଼ଶ ନାମ ପରମ ପାବନ । ପ୍ରତିଦିନ ପ୍ରାତଃକାଳେ ଉଠି ଯେଉଁ ଜନ ।। ବିଷ୍ଣୁଙ୍କର ଏ ନାମକୁ ଉଚ୍ଚାରଣ କରେ । ସର୍ବ ପାପ ଧ୍ବ°ସ ହୋଇ ପୁଣ୍ୟ ମିଳେ ତାରେ ।। ସେ ପ୍ରାଣୀ ବିଷ୍ଣୁଲୋକରେ ପାଏ ଯେ ଆଦର । ତହିଁ ସୁଖେ ବାସ କରେ ଯୁଗଯୁଗାନ୍ତରେ ।। * ଜୟ ଶ୍ରୀକୃଷ୍ଣ * https://amrutdhar.blogspot.com/2023/08/blog-post.html